କରୋନା ସଂକ୍ରମଣ ବଢ଼ିବାର କାରଣ କଣ?

ଗଞ୍ଜାମରେ କରୋନା ଗୋଷ୍ଠୀ ସଂକ୍ରମଣ ଆ‌ଡ଼କୁ ମୁହାଁଇଛି। ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମରେ ୫୦୩ ପଞ୍ଚାୟତ ଓ ୧୮ଟି ସହରାଞ୍ଚଳ। ଲୋକସଂଖ୍ୟା ପ୍ରାୟ ୪୦ଲକ୍ଷ। ଜିଲ୍ଲାର ୫ରୁ ୬ ଲକ୍ଷ ଲୋକ କର୍ମସଂସ୍ଥାନ ପାଇଁ ବାହାର ରାଜ୍ୟ ମୁହାଁ। କରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ବାହାର ରାଜ୍ୟର ପ୍ରବାସୀମାନେ ଘର ମୁହାଁ ହୋଇଥିଲେ। ପ୍ରବାସୀମାନେ ଫେରିବା ପରେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୪ଦିନ ଆନୁଷ୍ଠାନିକ ସଙ୍ଗରୋଧ ଏବଂ ୧୪ ଦିନ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରବାସୀ ଫେରିବା ପରେ ରାଜ୍ୟ ସରକାର ଆନୁଷ୍ଠାନିକ ସଙ୍ଗରୋଧ ଅବଧି ୭ ଦିନକୁ କମାଇ ଦେଇଥିଲେ। କିଛି ପ୍ରବାସୀ ୧୪ଦିନ ଆନୁଷ୍ଠାନିକ ସଙ୍ଗରୋଧ ଏବଂ ଆଉ କିଛି ୭ଦିନ ରହି ଘରକୁ ଫେରିଥିଲେ। ସମସ୍ତଙ୍କୁ ଗୃହ ସଙ୍ଗରୋଧ କଡ଼ାକଡି ପାଳନ କରିବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ଏହା ଠିକ୍‌ ଭାବେ ପାଳିଲେ ନାହିଁ। ଗାଁରେ ବୁଲାବୁଲି କରିବା ସହ ତାସ୍‌ ଖେଳ, ଭୋଜିଭାତରେ ମାତିଲେ। ଜିଲ୍ଲା ପ୍ରଶାସନ ଗୃହ ସଙ୍ଗରୋଧ ଖିଲାପକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ପ୍ରବାସୀ ବାହାରେ ବୁଲାବୁଲି କରିବାରୁ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିବା କୁହାଯାଉଛି। ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କେରଳ ଭଳି ହଟ୍‌ସ୍ପଟ୍‌ରୁ ଜିଲ୍ଲାକୁ ଇତି ମଧ୍ୟରେ ପ୍ରାୟ ୨ଲକ୍ଷ ୨୦ହଜାର ପ୍ରବାସୀ ଫେରିଥିବା ବେଳେ ଗଞ୍ଜାମ ଜିଲ୍ଲା ଏବେ କରୋନା ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି।

ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟକୁ ୨ମାସ ପୁରିଛି। ଏ ସମୟ ମଧ୍ୟରେ ୧୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୫୦ଜଣ ସଂକ୍ରମିତ ହେଲେଣି। ସେଥି ମଧ୍ୟରୁ ୭୦୪ ଜଣ ସଂକ୍ରୟ ସଂକ୍ରମିତ ରହିଛନ୍ତି। କରୋନା ମୁକାବିଲା ଲାଗି ପ୍ରଥମେ ଗଞ୍ଜାମରେ ହିଁ ଦୃଢ ପଦକ୍ଷେପ ନିଆ ଯାଇଥିଲା। ଜିଲ୍ଲା ପ୍ରଶାସନର କଟକଣାକୁ ଲୋକ ମାନିଥିଲେ। କିନ୍ତୁ ଅସଲ ସମୟରେ କଟକଣାରେ ରହିଥିବା ଲୋକମାନେ ଏବେ ଅମାନିଆ। ବଜାର ଠାରୁ ଆରମ୍ଭ ସବୁଠି ଅସମ୍ଭବ ଭିଡ଼। ସାମାଜିକ ଦୂରତ୍ବ ରହୁନି। ପରିମାଣ ସ୍ୱରୂପ ଜିଲ୍ଲାରେ କରୋନା ବ୍ୟାପୁଥିବା କୁହାଯାଉଛି।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର କମ୍ୟୁନିଟି ମେଡ଼ିସିନ ବିଭାଗ ପ୍ରଫେସର ଡାକ୍ତର ଦୁର୍ଗାମାଧବ ଶତପଥୀ କହିଛନ୍ତି ଯେ, ଜନସାଧାରଣଙ୍କ ଆସାବଧନତା ଏବଂ ଜ୍ୱର, କାଶ ହେଲେ ଲୁଚାଇ ନିଜେ ନିଜେ ସମାଧାନର ପନ୍ଥା ଖୋଜୁଥିବା କାରଣରୁ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି। କରୋନା ଜଳବାହିତ କି ବାୟୁ ବାହିତ ରୋଗ ନୁହେଁ। ଜଣକ ନିକଟରୁ ଆଉ ଜଣକୁ ବ୍ୟାପେ। ତେଣୁ ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତ୍ୱ ଅବଲମ୍ବନ ଦ୍ୱାରା ଏହି ସଂକ୍ରମଣକୁ ରୋକାଯାଇ ପାରିବ। ‌କିନ୍ତୁ ଲୋକମାନେ ନିଜେ ସାମାଜିକ ଦୂରତ୍ୱକୁ ଭୁଲି ଭୟରେ କରୋନା ସଂକ୍ରମଣ ଜାଣିବା କ୍ଷଣି ସାମଜିକ ବାସନ୍ଦ କରୁଛନ୍ତି। ‌ଲୋକ ସାମାଜିକ ଦୂରତ୍ୱ ଅବଲମ୍ବନ ସହ ଯଥେଷ୍ଟ ସଚେତନ ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *